
ମୁଁ ଅଭିମନ୍ୟୁ
ଚକ୍ରବ୍ୟୁହରେ ପଶି ତ ସାରିଛି
ଫେରିବାର ବାଟ ଜାଣିନାହିଁ ।
କୌତୁହଳେ ମୁଁ ପଶିଗଲି ସିନା
ବାହାରିବା ବାଟ ଦିଶୁ ନାହିଁ।
ପଛେ ଥିବେ ବୋଲି
କହିଥିଲେ ମୋତେ
ମୋର ପ୍ରିୟ ସାଥୀ ବନ୍ଧୁଗଣ
ବାହାର କରିବେ
ଏ ଚକ୍ର ଭିତରୁ
କହିଥିଲେ ହୋଇ ଜଣ ଜଣ।
ଚକ୍ରବ୍ୟୁହରେ ପଶିଗଲି ସିନା
ତା ଭିତରେ ମୁଁ ଥରହର
ଆଗରେ ମୋର
ଅଛନ୍ତି ସଭିଏଁ
ମହା ମହା ରଥି ଯୁଦ୍ଧବୀର ।
ଭାବିଥିଲି ମୁଁ ସହଜ ଯେତିକି
ତାଠାରୁ ବଳି ଏ କଷ୍ଟକର
ଚକ୍ରବ୍ୟୁହରେ ବାଟବଣା ଆଜି
କ୍ଷତାକ୍ତ ହେଲାଣି ମୋ ଶରୀର ।
ସଭିଏଁ ଏଠି ଆଘାତ କରନ୍ତି
ହସ୍ତରେ ଧରି ଅସ୍ତ୍ରମାନ
କାପୁରୁଷ ପରି
ପଛରେ ମାରନ୍ତି
ଭୁଲି ଯାଇ ଯୁଦ୍ଧ ନୀତିମାନ ।
କ୍ଷତ୍ରିୟ ହୋଇ ମୁଁ
ଯୁଦ୍ଧ କରିବି
ସମର୍ପିବି ନାହିଁ ମୋର ପ୍ରାଣ
ଶେଷ ରକ୍ତବିନ୍ଦୁ
ନ ସରିବା ଯାଏଁ
ଭୋଗୁଥାଏ ପଛେ ମୁଁ କଷଣ
ଆଜି ଯେତେବେଳେ
ବିପଦରେ ଆଜି
ପାଉନାହିଁ ପଛେ କାହାରିକୁ
ଅଭିମନ୍ୟୁ ସାଜି
ଏ ମହାଭାରତେ
ବାଜି ଲଗେଇଲି ମୋ ଜୀବନକୁ ।
-ବିଭୁ ପ୍ରସାଦ-
